ପ୍ରମାଣୀକରଣ ସେବା ଏଜେନ୍ସୀ (ASA)

ଉପକ୍ରମ

ଏ.ଏସ,ଏ. ବା ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥାମାନେ ହେଲେ ସେହି ସଂସ୍ଥା ଯିଏ ସି.ଆଇ.ଡି.ଆର. ବା କେନ୍ଦ୍ରୀୟ ସୂଚନା ତଥ୍ୟ ଭଣ୍ଡାର ସହ ସୁରକ୍ଷିତ ଲିଜ୍ ଲାଇନ ସଂଯୋଗ ସ୍ଥାପନ କରିଥାନ୍ତି । ଏହି ସଂଯୋଗ ସମ୍ପୂର୍ଣ୍ଣ ରୂପେ ୟୁ.ଆଇ.ଡି.ଏ.ଆଇ. ଦ୍ୱାରା ବିନିର୍ଦ୍ଦିଷ୍ଟ ହୋଇଥିବା ମାନଳ ଅନୁଯାୟୀ ହୋଇଥାଏ । ଏ.ଏସ,ଏ.ମାନେ ତାଙ୍କର ୟୁ.ଆଇ.ଡି.ଏ.ଆଇ.-ଅନୁବର୍ତ୍ତୀ ନେଟୱାର୍କ ସଂଯୋଗକୁ ଅନୁରୋଧକାରୀ ସଂସ୍ଥାଙ୍କୁ (ଯଥା ଏ.ୟୁ.ଏ./କେ.ୟୁ.ଏ. ଇତ୍ୟାଦି) ଏକ ସେବା ଭାବରେ ଯୋଗାଇ ଦିଅନ୍ତି ଏବଂ ତାଙ୍କର ପ୍ରମାଣୀକରଣ ଅନୁରୋଧକୁ ସିଆଇଡିଆର ନିକଟକୁ ପ୍ରେରଣ କରନ୍ତି ।

ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା ବା ଏ.ଏସ.ଏ.ଙ୍କ ନିଯୁକ୍ତି

  • ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା ବା ଏ.ଏସ.ଏ. ଭାବରେ ନିଯୁକ୍ତ ହେବା ପାଇଁ ଇଚ୍ଛୁକ ଥିବା ସଂସ୍ଥା ପ୍ରାଧିକରଣ ଏଥି ପାଇଁ ଧାର୍ଯ୍ୟ କରିଥିବା ପ୍ରକ୍ରିୟା ଅନୁସାରେ ନିଯୁକ୍ତି ପାଇଁ ପ୍ରାଧିକରଣକୁ ଆବେଦନ କରିପାରିବେ । କେବଳ ସେହି ସଂସ୍ଥା ଯେଉଁମାନେ ଅନୁସୂଚୀ ଖ (ସିଡ୍ୟୁଲ - ବି)ରେ ବିନିର୍ଦ୍ଦିଷ୍ଟ ହୋଇଥିବା ମାନଦଣ୍ଡକୁ ପୂରଣ କରୁଥିବେ ସେମାନେ ହିଁ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଆବଶ୍ୟକ ହେଲେ ପ୍ରାଧିକରଣ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ସମୟ ସମୟରେ ଆଦେଶନାମା ଜାରି କରି ‘ସିଡ୍ୟୁଲ ବି’ରେ ପରିବର୍ତ୍ତନ ଆଣିପାରିବେ ।
  • ଆବେଦନର ବିଚାର ସମୟରେ ପ୍ରାଧିକରଣ ଯଦି ଆବଶ୍ୟକ ବା ଜରୁରୀ ମନେ କରିବେ ତେବେ ସେ ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା ସମ୍ବନ୍ଧିତ ଅଧିକ ତଥ୍ୟ ଆବେଦନକାରୀ ସଂସ୍ଥାଙ୍କଠାରୁ ମାଗିପାରବେ ବା ଆବେଦନକାରୀ ସଂସ୍ଥାଙ୍କଠାରୁ ଅତିରିକ୍ତ ସ୍ପଷ୍ଟୀକରଣ ମାଗିପାରିବେ ।
  • ପ୍ରାଧିକରଣ ଏଥି ପାଇଁ ସ୍ଥିର କରିଥିବା ସମୟ ସୀମା ମଧ୍ୟରେ ଆବେଦନକାରୀ ପ୍ରାଧିକରଣ ପକ୍ଷରୁ ତାଙ୍କୁ ମଗାଯାଇଥିବା ଅତିରିକ୍ତ ସୂଚନା ବା ସ୍ପଷ୍ଟୀକରଣ ପ୍ରାଧିକରଣକୁ ପ୍ରଦାନ କରିବେ । ପ୍ରାଧିକରଣ ଦାଖଲ ହୋଇଥିବା ତଥ୍ୟ ଓ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହେବା ଆବଶ୍ୟକ ।
  • ଆବେଦନକାରୀର ଆବେଦନ, ଦାଖଲ ହୋଇଥିବା ତଥ୍ୟ ଏବଂ ତାହାର ଯୋଗ୍ୟତା ବିଚାର କରିବା ସମୟରେ ପ୍ରାଧିକରଣ ଦିଆଯାଇଥିବା ତଥ୍ୟ ଓ ସୂଚନାର ଯାଞ୍ଚ ପାଇଁ ସମ୍ପୃକ୍ତ ତଥ୍ୟ, ଭିତ୍ତିଭୂମି ଓ ବୈଷୟିକ ସହାୟତାକୁ ନିଜେ ଦେଖିପରଖି ପାରିବେ ଏବଂ ଆବଶ୍ୟକତା ଅନୁସାରେ ସବୁ ଠିକ୍ ଅଛି ନା ନାହିଁ ତନଖି ପାରିବେ ।
  • ଆବେଦନକାରୀ ସଂସ୍ଥା ଦ୍ୱାରା ଦାଖଲ ହୋଇଥିବା ଆବେଦନ, ଦସ୍ତାବିଜ ଓ ତଥ୍ୟକୁ ଯାଞ୍ଚ କରିସାରିବା ପରେ ତଥା ତାହାର ଯୋଗ୍ୟତାକୁ ଠହରାଇ ସାରିବା ପରେ ପ୍ରାଧିକରଣ ନିମ୍ନ ନିଷ୍ପତ୍ତି ନେଇପାରିବେ:
    (କ) ଯଥାଯଥ ଭାବରେ ଏ.ଏସ.ଏ. ଆବେଦନକୁ ଗ୍ରହଣ କରିପାରିବେ; ଏବଂ
    (ଖ) ସମ୍ପୃକ୍ତ ସଂସ୍ଥା ସହିତ ଉପଯୁକ୍ତ ରାଜିନାମା କରିବେ ଯହିଁରେ ଏ.ଏସ.ଏ.ମାନଙ୍କ ଦ୍ୱାରା ପାଳନ ହେବାକୁ ଥିବା ସର୍ତ୍ତାବଳୀ ଲିଖିତ ହୋଇ ରହିବ । ଦାୟିତ୍ୱର ଅନୁପାଳନରେ ହେଳା ପାଇଁ କ୍ଷତିପୂରଣ ତଥା ନିରୁତ୍ସାହ ମଧ୍ୟ ସର୍ତ୍ତାବଳୀରେ ଉଲ୍ଲିଖିତ ରହିବ ।
  • ସମୟ ସମୟରେ ପ୍ରାଧିକରଣ ସଂସ୍ଥାମାନଙ୍କୁ ଏ.ଏସ.ଏ. ଭାବରେ ନିଯୁକ୍ତ କରିବା ବେଳେ ସମ୍ପୃକ୍ତ ସଂସ୍ଥାମାନଙ୍କଠାରୁ ନିଆଯାଉଥିବା ଶୁଳ୍କ ବା ଫିଜ୍ ଓ ଅନ୍ୟାନ୍ୟ ଦେୟ ଯଥା - ଆବେଦନ ଫିଜ୍, ବାର୍ଷିକ ଗ୍ରାହକ ଫିଜ୍, ଏବଂ ବ୍ୟକ୍ତିର ପ୍ରମାଣୀକରଣ କାର୍ଯ୍ୟ ପାଇଁ ନିଆଯାଉଥିବା ଫିଜ୍ ନିର୍ଦ୍ଧାରଣ କରିପାରିବେ ।

ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା ବା ଏ.ଏସ.ଏ.ମାନଙ୍କର ଦାୟିତ୍ୱ ଏବଂ ତଥ୍ୟର ସୁରକ୍ଷା

ପ୍ରମାଣୀକରଣ ସେବାପ୍ରଦାନକାରୀ ସଂସ୍ଥା ବା ଏ.ଏସ.ଏ.ମାନଙ୍କର ଦାୟିତ୍ୱ ଏବଂ ତଥ୍ୟର ସୁରକ୍ଷା ପାଇଁ ଆଧାର ଅଧିନିୟମ, ୨୦୧୬ ଓ ଏହା ସମ୍ବନ୍ଧିତ ନିୟନ୍ତ୍ରଣକୁ ଦେଖିପାରିବେ ।