ଆଧାର ବ୍ୟବହାର

ଭାରତ ସରକାର ସମାଜର ଗରିବ ଓ ଦୂର୍ବଳ ଶ୍ରେଣୀର ବର୍ଗଙ୍କ ଉନ୍ନତି କଳ୍ପେ ଅନେକ ସାମାଜିକ ଉନ୍ନତିମୂଳକ ଯୋଜନା ପାଇଁ ପ୍ରଚୁର ଅର୍ଥ ବ୍ୟୟ କରନ୍ତି । ଆଧାର ଓ ଏହାର ଭିତ୍ତିଭୂମି ସେହିସବୁ ଯୋଜନାର ରୂପାୟନକୁ ସୁବ୍ୟବସ୍ଥିତ କରିବା ଦିଗରେ ସରକାରଙ୍କୁ ଏକ ଅନନ୍ୟ ସୁଯୋଗ ଦେବା ସହିତ ବ୍ୟବସ୍ଥାକୁ ପାରଦର୍ଶୀ କରିଥାଏ ଏବଂ ସୁଶାସନ ଆଣିଥାଏ ।

ସରକାର, ସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ

ଜଣେ ବାସିନ୍ଦାଙ୍କ ଡେମୋଗ୍ରାଫିକ ବା ଜନସଂଖ୍ୟାଗତ ଏବଂ ବାୟୋମେଟ୍ରିକ ବା ଶରୀରଗତ ସୂଚନା ଓ ତଥ୍ୟକୁ ଏହାର ସମ୍ପୂର୍ଣ୍ଣ ଡାଟାବେସରେ ଥିବା ଅନ୍ୟ ସମସ୍ତ ତଥ୍ୟ ସହ ମିଳାଇ କିଛି ନକଲି ନଥିବାର ପ୍ରମାଣ ପାଇବା ପରେ ହିଁ ୟୁ.ଆଇ.ଡି.ଏ.ଆଇ. ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଧାର ସଂଖ୍ୟା ଜାରି କରିଥାଏ । ଆଧାର ପ୍ରମାଣୀକରଣ ବିଭିନ୍ନ ଯୋଜନାରୁ ନକଲି ନିର୍ମୂଳୀକରଣ କରିଥାଏ ତଥା ଏହା ମାଧ୍ୟମରେ ସରକାରଙ୍କ ଖଜଣାରୁ ଅନେକ ଅପବ୍ୟୟ ରୋକି ଅର୍ଥ ସଞ୍ଚୟରେ ସହାୟକ ହେବ ବୋଲି ଆଶା ରହିଛି । ଏହା ସରକାରଙ୍କୁ ହିତାଧିକାରୀଙ୍କ ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିଥାଏ, ଯୋଜନା ଓ କାର୍ଯ୍ୟକ୍ରମମାନଙ୍କର ଲାଭ ସିଧା ହିତାଧିକାରୀଙ୍କ ପାଖରେ ପହଞ୍ଚାଇଥାଏ, ଏବଂ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମମଧ୍ୟରେ ସମନ୍ୱୟ ରଖିବା ପାଇଁ ସରାକାରୀ ବିଭାଗ / ସେବା ପ୍ରଦାନକାରୀଙ୍କୁ ସୁଯୋଗ ପ୍ରଦାନ କରିଥାଏ । ହିତାଧିକାରୀଙ୍କ ସତ୍ୟତା ଯାଞ୍ଚ କରି ତଥା ଲକ୍ଷ୍ୟ ରଖାଯାଇଥିବା ବ୍ୟକ୍ତି ଓ ବର୍ଗକୁ ପ୍ରତ୍ୟକ୍ଷ ଭାବରେ ଲାଭ ପହଞ୍ଚାଇବାରେ ଆଧାର ବିଭିନ୍ନ କାର୍ଯ୍ୟନିର୍ବହନକାରୀ ସଂସ୍ଥା ଓ ବିଭାଗକୁ ସୁଯୋଗ ଓ ସାମର୍ଥ୍ୟ ପ୍ରଦାନ କରିବ । ଏହିସବୁ କାର୍ଯ୍ୟ ଯୋଗୁଁ ନିମ୍ନରେ ବର୍ଣ୍ଣିତ ଲାଭ ହେବ:

ଯୋଜନାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ବାଟମାରଣାକୁ ରୋକିବା: ଯେଉଁ ସବୁ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସେବା ଯୋଗାଇବା ପୂର୍ବରୁ ସେମାନେ ଲକ୍ଷ୍ୟ ରଖାଯାଇଥିବା ପ୍ରକୃତ ହିତାଧିକାରୀ ବୋଲି ପକ୍କା ଭାବରେ ଜାଣିବାର ଆବଶ୍ୟକତା ଅଛି, ସେହି ସବୁ ଯୋଜନା ଓ କାର୍ଯ୍ୟକ୍ରମ ୟୁ.ଆଇ.ଡି.ଏ.ଆଇ.ର ପ୍ରମାଣୀକରଣ ସେବାରୁ ଅନେକ ଲାଭ ପାଇବେ । ଏହାଯୋଗୁଁ ବାଟମାରଣାକୁ ରୋକିହେବା ସହିତ ଯୋଜନା ଓ କାର୍ଯ୍ୟକ୍ରମର ଲାଭ ଯେମିତି ଲକ୍ଷ୍ୟ ରଖାଯାଇଥିବା ବ୍ୟକ୍ତି ଓ ବର୍ଗକୁ ହିଁ ପହଞ୍ଚିବ ତାହା ନିଶ୍ଚିତ କରାଏ । ଉଦାହରଣସ୍ୱରୂପ - ସରକାରୀ ସାଧାରଣ ବଣ୍ଟନ ବ୍ୟବସ୍ଥା(ପି.ଡି.ଏସ୍.)ରେ ରିହାତିରେ ଦିଆଯାଉଥିବା ଚାଉଳ, ଗହମ, କିରାସିନି ଆଦି; ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମ୍ୟ ନିଯୁକ୍ତି ଯୋଜନା (ମନରେଗା)ର କାର୍ଯ୍ୟକ୍ଷେତ୍ରରେ ହିଁ ହିତାଧିକାରୀଙ୍କ ଉପସ୍ଥିତି ନେବା ଇତ୍ୟାଦି ।

କାର୍ଯ୍ୟକୁଶଳତା ଓ କ୍ଷମତା ବୃଦ୍ଧି କରିବ:ଆଧାର ଭିତ୍ତିଭୂମିରୁ ସଠିକ୍ ଓ ପାରଦର୍ଶୀ ସୂଚନା ଓ ତଥ୍ୟ ମିଳୁଥିବା କାରଣରୁ ସରକାର ଯୋଗାଣ ଓ ବଣ୍ଟନ ବ୍ୟବସ୍ଥାରେ ଅନେକ ଉନ୍ନତି ଆଣି ପାରିବେ ଏବଂ ଉନ୍ନୟନ ପାଇଁ ଥିବା ସୀମିତ ଅର୍ଥ ଓ ସମ୍ବଳକୁ ତଥା ସେବା ଯୋଗାଣ ବ୍ୟବସ୍ଥାରେ ଥିବା ମାନବ ସମ୍ବଳକୁ ଅଧିକ କୁଶଳତାର ସହ, ଦକ୍ଷତାର ସହ ଏବଂ ପ୍ରଭାବୀ ଢଙ୍ଗରେ ଉପଯୋଗ କରିପାରିବେ ।

ବାସିନ୍ଦାଙ୍କ ପାଇଁ

ଆଧାର ବ୍ୟବସ୍ଥା ବାସିନ୍ଦାମାନଙ୍କ ପାଇଁ ସାରା ଭାରତରେ ଏକ-ଉତ୍ସ ବିଶିଷ୍ଟ ଅନ-ଲାଇନ ପରିଚୟ ଯାଞ୍ଚର ସୁବିଧା ଯୋଗାଇ ଥାଏ । ବାସିନ୍ଦା ଥରେ ନିଜର ନାମାଙ୍କନ କରିଦେଲା ପରେ, ଇଲେକ୍ଟୋନିକ୍ସ ମାଧ୍ୟମରେ ଆଧାର ସଂଖ୍ୟାକୁ ତାଙ୍କର ପରିଚୟର ପ୍ରମାଣ ଦେବା ପାଇଁ ଅନେକ ଥର ବ୍ୟବହାର କରିପାରିବେ । ଜଣେ ବାସିନ୍ଦାଙ୍କୁ ଅନେକ ସମୟରେ ପରିଚୟର ପ୍ରମାଣ ଦେବାକୁ ପଡିଥାଏ, ଯଥା – ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ, ଡ୍ରାଇଭିଂ ଲାଇସେନ୍ସ ପାଇଁ ପରିଚୟର ପ୍ରମାଣ ଦରକାର ହୋଇଥାଏ । ଆଧାର ସଂଖ୍ୟା ବ୍ୟବହାର ଦ୍ୱାରା ସେହିଭଳି ଆବଶ୍ୟକତା ସମୟରେ ବାସିନ୍ଦାଙ୍କୁ ପ୍ରତିଥର ସହାୟକ ଦସ୍ତାବିଜ ବାହାର କରି ପ୍ରଦାନ କରିବାକୁ ପଡେ ନାହିଁ । ଆଧାର ସଂଖ୍ୟାରେ କାମ ହୋଇଯାଏ । ଆଧାର ଅନ୍-ଲାଇନ୍ ପ୍ରମାଣୀକରଣ ବ୍ୟବସ୍ଥାରେ ଯେ କୌଣସିଠାରେ ଓ ଯେକୌଣସି ସମୟରେ ବାସିନ୍ଦାଙ୍କ ପରିଚୟର ପ୍ରମାଣୀକରଣ ହୋଇପାରିଥାଏ । ସେହିପରି ଏକ ସଦା ନିଜ ସାଥୀରେ ରଖି ହେଉଥିବା ଏକ ପରିଚୟର ପ୍ରମାଣ ଯୋଗାଇ ଆଧାର ଦେଶର ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗମନ କରୁଥିବା ଏମିତି ନିୟୁତ ନିୟୁତ ଲୋକଙ୍କ ଗମନାଗମନକୁ ସୁସାଧ୍ୟ ଓ ସାବଲୀଳ କରିଥାଏ ।